ଭୁବନେଶ୍ୱର: ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ଏକ ଖୁସି ଖବର । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ଏକ ବଡ଼ ଗିଫ୍ଟ ଦେବାକୁ ଯାଉଛନ୍ତି । ଏହି ଅବସରରେ ଆସନ୍ତାକାଲି ରାଜ୍ୟର ଚାଷୀମାନଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । କାଳିଆ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର ।
କାଳିଆ ଯୋଜନାରେ ଚାଷୀଙ୍କୁ ୧୮୭୪ କୋଟି ଟଙ୍କାର ସହାୟତା ଦିଆଯିବ ବୋଲି ଗତ ମାର୍ଚ୍ଚ ମାସ ୩୦ ତାରିଖରେ ଆଗତ ବଜେଟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଘୋଷଣା କରିଥିଲେ । ମୋଟ ୧.୧୦ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଥିଲା । ସେହିପରି ବିପର୍ଯ୍ୟୟ ମୁକାବିଲା ପାଇଁ ୩୨୦୦ କୋଟି, ସ୍ୱାସ୍ଥ୍ୟ ପାଇଁ ୧୨୨୦୦ କୋଟି, ମିଶନ ଶକ୍ତି ପାଇଁ ୨ ହଜାର କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧୮୬୪ କୋଟି ଟଙ୍କାର ବ୍ୟବବରାଦ କରାଯାଇଥିଲା ।
